Latest Posts

Loading...

Monday, October 9, 2017

ଜେଜେ ଓ ଡାକସେବା

୧୯୮୯ ମସିହାର କଥା , ସେଦିନ ହରି ଓ ମୁଁ ମିଶି କଲିକତାର ହାଓଡା ଷ୍ଟେସନ ରେ ବୁଲୁଥିଲୁ । କେତେ ଲୋକ ଆସୁଥିଲେ, ଯାଉଥିଲେ । ସମସ୍ତେ ନିଜ ନିଜ ଜାଗା ଅଭିମୁଖେ ଯାଉଥିଲେ । 

     ମୁଁ କିନ୍ତୁ ସେ ସବୁ ଲୋକଙ୍କୁ ଦେଖୁନଥାଏ । ମୋର ନଜର ଟ୍ରେନ୍ ରୁ ଚକଲଗା ଗାଡିରେ ବୁହା ହୋଇ ଆସୁଥିବା ଧଳା , ମାଟିଆ ଓ ନାଲି ବସ୍ତା ଉପରେ ଥାଏ । ମଜା ବି ଲାଗୁଥାଏ । 

   ମୁଁ ଏସବୁକୁ ଏକ ଲୟରେ ଦେଖୁଥିବା ବେଳେ , ହରି କହିଲା, ଆରେ ଏଗୁଡାକୁ କଣ ଏମିତି ଚାହିଁରହିଚୁ , ସେପଟକୁ ଦେଖ ଗରମ ଗରମ ସିଙ୍ଗେଡା ମିଳୁଛି । ଆସ୍ ଖାଇବା ।

 ତାକଥାରେ ସିନା ସେଠୁ ପଳାଇ ଆସିଲି। କିନ୍ତୁ ମୋର ମନ ଯାଇଁ ସେ ଚକଲଗା ଗାଡି ଆଉ ବସ୍ତାପାଖରେ । ସେଦିନ ଫେରି ଆସିଲି । କିନ୍ତୁ ଆଉ ଦିନେ ଆସିକିଦେଖିବି ସେ ବସ୍ତାରେ କଣ ଅଛି? ସେଗୁଡାକ ଯାଉଛି କୁଆଡେ ? ଏଥର ରବିବାରକୁ ଜେଜେଙ୍କୁ ନେଇକି ଆସିବି । ସେ ନିଶ୍ଚୟ ମୋ କଥା ରଖିବେ । ବାପାଙ୍କୁ କହିଲେ କିଛି ଲାଭ ନାହିଁ । ଏହାପରେ ଘରକୁ ଗଲି ।

ଶନିବାର ଦିନ ଜେଜେଙ୍କୁ କହିଲି , ଜେଜେ କାଲି ଆମେ ହାଓଡା ଷ୍ଟେସନ ଯିବା ।ଗୋଟିଏ ଭଲ ଜିନିଷ ଦେଖିଚି । ତମକୁ ଦେଖେଇବି । ମୋ କଥାକୁ ମନା କଲେନି ଜେଜେ । କହିଲେ ,ହଉରେ ନାତିଟୋକା , ତୋ ବାପାଙ୍କୁ ବୁଲେଇବାକୁ ନକହି , ଏ ବୁଢାଟାକୁ କହିଲୁଣି ଯେତେବେଳେ , ଯିବା ।

ଆମେ ରବିବାର ସଂଧ୍ୟାରେ ପୁଣି ହାଓଡାରେ । ଜେଜେ କହିଲେ କୋଉ ଯାଗା କଥା କହୁଥିଲୁ କିରେ?  ମୁଁ ତାଙ୍କୁ ସେ ଚକଲଗା ଗାଡି ଆଉ ବସ୍ତା ଗୁଡିକ ଦେଖେଇ କହିଲି ,ଦେଖ । ଏସବୁ । ରେଳରେ ବୁହା ହୋଇ ଆସିଛି ।

 କିନ୍ତୁ ଜେଜେ , ଏସବୁ ବସ୍ତା ସେପଟକୁ କାହିଁକି ଯାଉଛି ? ଏହା ଭିତରେ କଣ ଅଛି ? ଏମିତି ସବୁ ପ୍ରଶ୍ନ ଶୁଣି , ଜେଜେ ଟିକେ ତାଙ୍କ ପାକୁଆ ପାଟିରେ ମୁରୁକି ହସିଲେ , ଆଉ କହିଲେ ,"ନାତିଟୋକା , ଏମିତି ଏ ବସ୍ତା ଭିତରେ ତୋର ଜେଜେ ମାଆ ପାଇଁ କେତେ ଜିନିଷ, ଚିଠି, ଖବର ସବୁ ମୁଁ ପଠାଏ । ଆଉ ତୋ ଜେଜେମା , ସେସବୁ  ଗାଁ ରେ ଡାକବାଲାଠାରୁ ପାଏ । ବହୁତ ଖୁସି ହୁଏ ।

ମୁଁ ଟିକେ ଏସବୁ ବୁଝିପାରିଲିନି । କଣ ଜେଜେ ସବୁ ଏମିତି କହୁଛ? ତାପରେ ଜେଜେ ମୋତେ ଟିକେ କଚୁଡି ଆଉ ଚଟଣି ଧରେଇ ଦେଇ କହିଲେ , ମୁୁଁ କହୁଚି ଶୁଣ । ସେତେବେଳେ  ତୋର ବାପା ୪ ବର୍ଷର ହୋଇଥାଏ । ମୁଁ କଟକରେ କାମ କରୁଥାଏ । ତୋର ବାପା ଆଉ କକା ଙ୍କୁ ନେଇ ଜେଜେ ମା ଗାଁ ରେ ରୁହେ । ସେତେ ବେଳେ ଆଗଭଳି ଟେଲିଫୋନ୍ , ମୋବାଇଲ୍ କି ବ୍ୟାଙ୍କ ସେବା ନଥିଲା । ତେଣୁ , ଆମେ ଖବର ଦବାପାଇଁ ଚିଠି ଲେଖୁଥିଲୁ ।ପଇସା ଦରକାର ହେଲେ ମନିଅର୍ଡର କରୁଥିଲୁ । ସେ ସବୁ ଡାକଘର ମାଧ୍ୟମରେ ତୋର ଜେଜେମା ପାଖରେ ପହଂଚି ଯାଉଥିଲା ।

 ଆଉ ସେହି ଚିଠି ଆଉ ଟଙ୍କା (ମନିଅର୍ଡର) ଏମିତି ସବୁ ବସ୍ତାରେ ଆସେ, ହାତରେ, ସାଇକେଲ୍ ରେ, ମଟରଗାଡିରେ, ରେଳରେ ଆଉ ଶେଷରେ ଆମ ଗାଁ ପାେଷ୍ଟଅଫିସ୍ କୁ ଆସେ ଆଉ ଡାକବାଲା ଆମଘରେ ପହଂଚାଏ ।

ମୋତେ ଏସବୁ ବହୁତ ମଜାଲାଗୁଥାଏ ।ପୁଣି ପଚାରିଲି ,ଏ ରେଳଷ୍ଟେସନରେ ଏଗୁଡାକ କଣ ହୁଏ ?

   ଜେଜେ କହିଲେ, ଭାରତର ବିଭିନ୍ନ ଯାଗାରୁ ଆସୁଥିବା ଡାକ, ନିକଟସ୍ତ ଷ୍ଟେସନକୁ ଆସିବା ପରେ ,ସେଠାରୁ ପୁଣି ଅନ୍ୟଯାଗାକୁ ପଠାଯାଏ । ଯେମିତି , ଅଲଗା ଯାଗାରେ ତାକୁ ଡାକଘର କୁହାଯାଏ । ଏଠାରେ ସେସବୁକୁ "ରେଳ ଡାକ ସେବା " କୁହାଯାଏ । ସବୁଠାରୁ ମଜା କଥା , ଡାକଘର ରବିବାର ଓ ସରକାରୀ ଛୁଟିରେ ବନ୍ଦ ରହେ , କିନ୍ତୁ ରେଳ ଡାକସେବା ଅହରହ ଚାଲିଥାଏ ।

   କେମିତି ଜେଜେ???? ସେମାନେ କଣ ଘରକୁ ଯାନ୍ତିନି ? ଆରେ ନା ନା , ସେମାନେ ଯାଆନ୍ତି କିନ୍ତୁ ତାଙ୍କର ଟିକେ ଅଲଗା ପ୍ରକାର । ତାଙ୍କୁ ବି ସେତିକି ଛୁଟି ମିଳେ , କିନ୍ତୁ ଡାକସେବାକୁ ମିଳେନାହିଁ । ଅହରହ ଚାଲିଥାଏ ।

ଜେଜେ, ତୁମ ବେଳେ ତ ଏସବୁ ହେଉଥିଲା , ଏବେ ସବୁ କ'ଣ ହଉଛି ଏଠାରେ ? ଏକଥା ଶୁଣି ଜେଜେ କହିଲେ , ଯୁଗ ସହ ତାଳ ଦେଇ ଡାକବିଭାଗ ମଧ୍ୟ ଆଧୁନିକ ରୂପ ନେଲାଣି । ଏବେ ଏଠାରେ ସବୁ କାମକୁ କଂପ୍ୟୁଟରରେ କରାଯାଉଛି । ଆଉ ଡାକଘର ଭଳି ଏଠାରେ ବି ଚିଠି ପଠାଯାଉଛି । ନୂଆ ନୂଆ ସେବା, ଯଥା ସ୍ପିଡ୍ ପୋଷ୍ଟ ,ରେଜିଷ୍ଟ୍ରି ପୋଷ୍ଟ , ପାର୍ସଲ ପୋଷ୍ଟ ଏଠାରେ ଉପଲବ୍ଧ । ଏଠାରେ ଛୁଟିଦିନ ଓ ରାତିରେ ମଧ୍ୟ ଏସବୁ ସେବା ମିଳେ । ଡାକଟିକଟ ବି ଏଠାରେ ମିଳେ ।

ଏଠାକାର ମୁଖ୍ୟକାମ ବିଭିନ୍ନ ଯାଗାରୁ ଆସୁଥିବା ଡାକକୁ ଅଲଗା ଅଲଗାବାଛି କି , ସେହି ଯାଗାକୁ ପଠାଇବାର ବ୍ୟବସ୍ତା କରାଯାଏ । ଏହି କାର୍ଯ୍ୟକୁ ସର୍ଟିଂଗ କହନ୍ତି ।
ଯାହା ଫଳରେ ଆମେ ଆମର ଡାକ ଠିକ୍ ସମୟରେ ପାଇଥାଉ ।

ଏତେ ସବୁ କଥା ଅଛି , ତମେ ମୋତେ ଆଗରୁ କେବେ ବି କହିନଥିଲ ।

ତମେ  ଏସବୁ ଜାଣିଲ କେମିତି । ନୂଆ ପୁରୁଣା ସବୁ ତ ତୁମକୁ ଜଣାଅଛି ଜେଜେ।

    ଜେଜେଟିକେ ହସି ଦେଇ କହିଲେ , ଆରେ ଟୋକା ତୋର ଏ ଜେଜେ ପରା ଦିନେ ଡାକ ବିଭାଗରେ ଚାକରି କରିଥିଲା । ତେଣୁ ଭାତହାଣ୍ଡୀକୁ ଭୁଲିବି କେମିତି।

 ଏତକ କହୁ କହୁ ଜେଜେଙ୍କ ଆଖିରେ ଟିକେ ଲୁହ ଆସିଗଲା । ତାପରେ ଜେଜେ କହିଲେ , ଏଥର ଘରକୁ ଯିବା, ନହେଲେ ତୋର ଜେଜେ ମା ବିଗିଡିବ।

ଆଉ ଦିନେ ତୋତେ , ରାଜଧାନୀରେ ଥିବା ବଡ ଡାକଘର (ଭୁବନେଶ୍ୱର ଜିପିଓ) ବୁଲେଇବାକୁ ନେବି । ତା ବିଷୟରେ କହିବି । ଏଥର ଚେଲେ ଘରକୁ ଯିବା ।

 ଜେଜେ ଓ ମୁଁ ସାଂଗ ହୋଇ ଘରକୁ ଫେରିଲୁ । ବାଟରେ ପଚାରିଲି ,"ଜେଜେ ତମ ଜିପିଓ କେବେ ଯିବା । ଜେଜେ ହସି ହସି କହିଲେ ଆର ମାସ ପହିଲାରେ । 
ପେନସନ୍ ଆଣିବାକୁ ଗଲାବେଳେ ।

 ମୁଁ ବହୁତ ଖୁସି ହେଇ , ଜେଜେଙ୍କ ସହ ଘରକୁ ଫରିଲି ।

    ......ମନେ ମନେ ସେ ହାଓଡା ଷ୍ଟେସନ ଓ ରେଳଡାକ ସେବା କଥା ଭାବି ଭାବି , କେତେ ବେଳେ ଯେ ଘରେ ପହଂଚିଲି ଜାଣିପାରିଲିନି । 

     ଧନ୍ୟବାଦ୍ ଜେଜେ ।
************************
 © ଶ୍ରୀ ସୌମିତ୍ରି ମିଶ୍ର
   ସା./ପୋ- ସୁନ୍ଦରଗ୍ରାମ
  ଜିଲ୍ଲା-କଟକ
  ପିନ୍-୭୫୪୦୦୨

No comments:

Post a Comment